महाकुम्भ मेला: क्या है इसका विज्ञान?
கும்பமேளா – ஏன் இவ்வளவு சிறப்பு?

ସୂର୍ଯ୍ୟଙ୍କର ପରିକ୍ରମା ପଥରେ ଆସୁଥିବା ସମସ୍ତ ଦେଶଙ୍କ ଭିତରେ ଭାରତକୁ ଅସାଧାରଣ କରିବା ପାଇଁ ପ୍ରକୃତି ଓ ମାନବ କିଛିବି ପ୍ରୟାସ ଛାଡି ନାହାନ୍ତି I  - - ମାର୍କ ଟ୍ୱେନ୍

ସଦ୍‌ଗୁରୁ : ସମଗ୍ର ବିଶ୍ୱରେ ଭାରତୀୟ ସଂସ୍କୃତି ହେଉଛି ସବୁଠାରୁ ଜଟିଳ ଓ ରଙ୍ଗୀନ। ଆପଣ ଦେଖିବେ,ଲୋକମାନେ ଯେପରି ଦେଖାଯା’ନ୍ତି, ସେମାନଙ୍କ ଭାଷା ଓ ଖାଦ୍ୟ, ସେମାନଙ୍କ ପୋଷାକ ଶୈଳୀ, ନୃତ୍ୟ ଓ ସଙ୍ଗୀତ, ଏହି ଦେଶରେ ପ୍ରତି ୫୦ କି ୧୦୦ କିଲୋମିଟରରେ ସବୁକିଛି ଭିନ୍ନ ହୋଇଥାଏ। ଗୋଟିଏ ସ୍ଥାନ ଯେଉଁଠି ଆପଣ ପ୍ରକୃତରେ ଏହି ସଂସ୍କୃତିର ଜଟିଳତା ଦେଖିପାରିବେ ତାହା ହେଉଛି କୁମ୍ଭମେଳା।

୨୦୦୧ ର କୁମ୍ଭମେଳା ସମୟରେ ୬ କୋଟି ଲୋକ ଆହ୍ଲାବାଦରେ ଏକତ୍ରିତ ହୋଇଥିଲେ। ମୋର ଏପରି ସ୍ଥାନକୁ ଯିବାର ଇଚ୍ଛା କେବେବି ନଥିଲା, କିନ୍ତୁ ସେ ବିଷୟରେ ବହୁତ କଥାବାର୍ତ୍ତା ହେଉଥିଲା, ତେଣୁ କଳ୍ପନାତୀତ ସ୍କେଲର ଏକ ବଡ଼ ଘଟଣା ଦେଖିବାକୁ ମୁଁ କୋଏମ୍ବାଟୁରରୁ ସେଠାକୁ ଯିବାକୁ ସ୍ଥିର କଲି।

ଏହା ବିଶ୍ୱର ସବୁଠାରୁ ଅନନ୍ୟ ଦୃଶ୍ୟ ଭିତରୁ ଗୋଟିଏ। ମୁଁ ସେଠାକୁ ପ୍ରାୟ ରାତି ୨ଟା ବେଳକୁ ଗଲି ଆଉ ଦେଖିଲି ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକମାନେ ଏକାଠି ବସିଥିଲେ। ସେମାନଙ୍କ ପାଖରେ ଶୋଇବା ପାଇଁ ସ୍ଥାନ ନଥିଲା, ତେଣୁ ସେମାନେ ଛୋଟ ନିଆଁଟିଏ ଜଳାଇ ନିଜ ନୃତ୍ୟ ଓ ସଙ୍ଗୀତ, ସଂସ୍କୃତି ଓ ଭାଷାର ଉପସ୍ଥାପନ କରୁଥିଲେ। ମାନବତାର ସବୁଠାରୁ ଖରାପ ଓ ଭଲ ଦିଗ ସେଠାରେ ଉପସ୍ଥିତ ଥିଲା - ନିଜ ହାତକାମ ଦେଖାଇବାକୁ ଚାହୁଁଥିବା ଅପରାଧୀ ଠାରୁ ନେଇ ବିରାଟ ସାଧନାସିଦ୍ଧ ଯୋଗୀମାନଙ୍କ ପର୍ଯ୍ୟନ୍ତ। ହଜାର ହଜାର ବର୍ଷ ଧରି ଲୋକମାନେ ଏଇଭଳି ଏକତ୍ରିତ ହେଉଛନ୍ତି। ଏହା ଏକ ପରମ୍ପରା ଓ ସଂସ୍କୃତି ଯାହାକୁ ଆପଣ ମାରି ପାରିବେ ନାହିଁ, ଏବଂ ଏହାର ଏକ ନିର୍ଦ୍ଦିଷ୍ଟ ସାମାଜିକ ପ୍ରାସଙ୍ଗିକତା ରହିଛି। କିନ୍ତୁ ଏହାର ଏକ ନିର୍ଦ୍ଦିଷ୍ଟ ଆଧ୍ୟାତ୍ମିକ ଶକ୍ତି ମଧ୍ୟ ରହିଛି।

ପୃଥିବୀ ଓ ଚନ୍ଦ୍ର ଚକ୍ରାକାର ଗତିରେ ଯାତ୍ରା କରନ୍ତି। ପ୍ରତ୍ୟେକ ଦିନ ଏହି ଚକ୍ର ଚାଲିଛି, କିନ୍ତୁ ଏହି ଚକ୍ର ଗୁଡିକ ବନ୍ଧନର ଚକ୍ର ହୋଇ ରହିପାରେ, କିମ୍ବା ପାର୍ଥିବକୁ ଅତିକ୍ରମ କରିବାର ଏକ ମାଧ୍ୟମ ହୋଇପାରେ - ଜୀବନର ଗୋଟିଏ ଚକ୍ର ରୁ ଆଉ ଗୋଟିଏକୁ। ଯିଏ ମୁକ୍ତି ପାଇଁ ଲାଳାୟିତ, ସେ ନିଜେ ସୃଷ୍ଟି କରିଥିବା ଚକ୍ରରୁ କିପରି ମୁକ୍ତ ହୋଇପାରିବ ସେହି ମାର୍ଗ ନିରନ୍ତର ଖୋଜୁଛି। ବିଭିନ୍ନ ପ୍ରକାରର ଚକ୍ର ଅଛି, ଦୀର୍ଘତମ ହେଉଛି ୧୪୪ ବର୍ଷ; ୧୪୪ ବର୍ଷରେ ଥରେ, ସୌର ପ୍ରଣାଳୀରେ ନିର୍ଦ୍ଦିଷ୍ଟ ଘଟଣା ଘଟେ ଯେଉଁଥିପାଇଁ ଆମର ଏହି ମହା-କୁମ୍ଭ ମେଳା ହୁଏ, ଯାହା ପୂର୍ବରୁ ୨୦୦୧ ରେ ହୋଇଥିଲା।

କୁମ୍ଭମେଳା ଦେଶର ନିର୍ଦ୍ଦିଷ୍ଟ କେତୋଟି ସ୍ଥାନରେ ହୋଇଥାଏ ଯାହାକୁ ନେଇ ଏକ ସମ୍ପୂର୍ଣ୍ଣ ଉର୍ଜା ପ୍ରଣାଳୀ ତିଆରି କରାଯାଇଛି। ଯେହେତୁ ଆମ ଗ୍ରହ ଘୁରୁଛି, ଏହା ଏକ କେନ୍ଦ୍ରାବିମୁଖ ବା ସେଣ୍ଟ୍ରିଫୁଗଲ୍ ବଳ ସୃଷ୍ଟି କରେ। ୦ ରୁ ୩୩ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ, ଆପଣଙ୍କ ଶରୀର ପ୍ରଣାଳୀରେ ଏହି ବଳ ଅଧିକନ୍ତୁ ଲମ୍ବ ଭାବେ କାର୍ଯ୍ୟ କରେ, ଏବଂ ନିର୍ଦ୍ଦିଷ୍ଟ ଭାବେ ୧୧ ଡିଗ୍ରୀରେ, ଉର୍ଜା ସିଧାସଳଖ ଉର୍ଦ୍ଧ୍ୱକୁ ଗତିକରେ। ତେଣୁ ଆମ ବିଦ୍ୱାନମାନେ ପ୍ରାଚୀନକାଳରୁ ଗଣନା କରି ପୃଥିବୀ ପୃଷ୍ଠରେ ସ୍ଥାନ ଗୁଡିକୁ ଚିହ୍ନଟ କରିଛନ୍ତି ଯେଉଁଠି ଲୋକମାନଙ୍କ ପାଇଁ ସହାୟକ ପ୍ରଭାବ ରହିଛି, ସେଥିରୁ ଅଧିକାଂଶ ସ୍ଥାନ ନଦୀ ମାନଙ୍କ ସଙ୍ଗମ ସ୍ଥଳ ଭାବେ ମିଳିଲା ଏବଂ ସେହି ସ୍ଥାନ ମାନଙ୍କରେ ସ୍ନାନ କରିବା ଲାଭପ୍ରଦ ହୋଇଥାଏ। ଯଦି କୌଣସି ନିର୍ଦ୍ଧାରିତ ଦିନ ଜଣେ ସେହି ସ୍ଥାନରେ ଉପସ୍ଥିତ ଅଛନ୍ତି, ତାଙ୍କୁ ବିରଳ ସମ୍ଭାବନା ପ୍ରାପ୍ତ ହୁଏ, ତେଣୁ ଲୋକମାନେ ସେ ପରିସ୍ଥିତିର ଲାଭ ଉଠାଇବା ପାଇଁ ସେଠାକୁ ଯାଆନ୍ତି।ଏମାନଙ୍କ ଭିତରେ ଅଧିକାଂଶ ଲୋକ ଲେଖାପଢ଼ା ଶିଖି ନ ଥିବା ଗାଁ ଲୋକ ଯେଉଁମାନେ ମୁକ୍ତି ଆଶାରେ, ସ୍ୱଳ୍ପ ସାଧନ ସହିତ, କେବଳ ସେଠାରେ ପହଞ୍ଚିବା ପାଇଁ ବହୁଦୂର ଯାତ୍ରା କରି ଆସନ୍ତି। ବିଶ୍ୱରେ ଅନ୍ୟ କୌଣସି ଠାରେ ସମ୍ପୂର୍ଣ୍ଣ ଜନମାନସ ଏତେ ନିବିଡ଼ ଭାବରେ ମୁକ୍ତି କାମନା କରୁନଥିବେ।

ଭାରତରେ ଯେଉଁ ସ୍ତରର ରହସ୍ୟବାଦ ଓ ଆଧ୍ୟାତ୍ମିକତା ଘଟିଛି ଏବଂ ନିରନ୍ତର ଘଟିଚାଲିଛି, ତାହାର ଗଭୀରତା ବାବଦରେ ଅଧିକାଂଶ ଭାରତୀୟ ଅନଭିଜ୍ଞ। ଏହି ଭୂଖଣ୍ଡ ସର୍ବଦା ବିଶ୍ୱର ଆଧ୍ୟାତ୍ମିକ ରାଜଧାନୀ ଭାବେ ପରିଚିତ ହୋଇଆସିଛି, କେବଳ ଏଇଥିପାଇଁ ଯେ ଅନ୍ୟ କୌଣସି ସଂସ୍କୃତି ଆଭ୍ୟନ୍ତରୀଣ ବିଜ୍ଞାନକୁ ଏତେ ବେଶୀ ବୁଝିବାରେ ସକ୍ଷମ ହୋଇନାହିଁ। ଏଠି ମୋକ୍ଷ ବା ମୁକ୍ତି ସର୍ବୋଚ୍ଚ ଲକ୍ଷ୍ୟ, ଏମିତିକି ଭଗବାନଙ୍କୁ ମଧ୍ୟ ସେହି ମାର୍ଗରେ ଏକ ସୋପାନ ଭାବେ ବିଚାର କରାଯାଏ।

ଦୁର୍ଭାଗ୍ୟକୁ, ଆଜି ଆମେ ଯେଉଁ ଆଧ୍ୟାତ୍ମିକ ସଂସ୍କୃତି ଦେଖୁଛେ ତାହା ବାହ୍ୟ ଆକ୍ରମଣ ଯୋଗୁଁ ବହୁତ ପ୍ରକାରେ ନଷ୍ଟ ହୋଇଛି, ଏବଂ ଦୀର୍ଘ ଅବଧିର ଦାରିଦ୍ର୍ୟ ଯୋଗୁଁ ବିକୃତ ହୋଇଛି। ତଥାପି,ଆଧ୍ୟାତ୍ମିକ ପ୍ରକ୍ରିୟାର ମୂଳ ପ୍ରକୃତି ନଷ୍ଟ ହୋଇନାହିଁ, କି ଏହାକୁ ନଷ୍ଟ କରାଯାଇପାରିବ ନାହିଁ। ବର୍ତ୍ତମାନ ଏହି ଗହନ ପରମ୍ପରାର ଲାଭ ତାହାର ପୂର୍ଣ୍ଣ ଶୌର୍ଯ୍ୟର ସହିତ ପାଇବାର ସମୟ ଆସିଛି ।

Editor's Note: ଆପଣ କେବେ କୁମ୍ଭମେଳାକୁ ଯାଇଛନ୍ତି କି? ନିଜ ଅନୁଭବ କମେଣ୍ଟରେ ଜଣାନ୍ତୁ।

ପ୍ରୟାଗରାଜରେ କୁମ୍ଭମେଳା

Tପ୍ରୟାଗରାଜରେ କୁମ୍ଭମେଳା ସମ୍ଭବତଃ ବିଶ୍ୱର ସର୍ବବୃହତ ଜନ ସମାଗମ। ସମଗ୍ର ଭାରତର କୋଣ ଅନୁକୋଣରୁ ଓ ସମସ୍ତ ପ୍ରକାର ଆଧ୍ୟାତ୍ମ ମାର୍ଗର ସାଧକ ମାନେ ଏହି ଶୁଭ ତିଥିରେ ଏଠାରେ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରିବା ପାଇଁ ଏକତ୍ରିତ ହୋଇଛନ୍ତି, ଯାହାକି ଗ୍ରହୀୟ ସ୍ଥିତି ଆଧାରରେ ଗଣନା କରି ନିଧାର୍ଯ୍ୟ କରାଯାଇଛି। ଏହି ମେଳା ପ୍ରତି ୧୨ବର୍ଷରେ ଥରେ ହୁଏ, ଯାହାକି ଏକ ସୌର ଚକ୍ର ଅଟେ, ଏବଂ ଅଧ୍ୟାତ୍ମ ମାର୍ଗରେ ଏକ ମହତ୍ତ୍ୱପୂର୍ଣ୍ଣ ସଂଖ୍ୟା ଅଟେ। କୁମ୍ଭମେଳା ଅମୂଲ୍ୟ ଭାରତୀୟ ଆଧ୍ୟାତ୍ମିକ ଧରୋହରର ଏକ ଚିରସ୍ଥାୟୀ ସନ୍ତକ।